ବାଲ୍ୟ ବିବାହ ବିରୋଧରେ ଝାରମୁଣ୍ଡା ଗାଁ କଲ୍ୟାଣ ସମିତିର ଅଭିନୟ ଉପାୟ
ସମ୍ବଲପୁର,୨/ ୧୧(ସଂସ୍କୃତି ମିଡିଆ)ବାଲ୍ୟ ବିବାହ ସମାଜ ପାଇଁ କଳଙ୍କ। ସୁସ୍ଥ ସ୍ୱାସ୍ଥ୍ୟ ପ୍ରତି ବିପରୀତ ଦର୍ଶନ। ଏହା ପରିବାର ପାଇଁ ଅଶୁଭ। ଅର୍ଥନୀତିର ବାଧକ। ତେଣୁ ବାଲ୍ୟ ବିବାହ ପୂର୍ବରୁ ଅନେକ ଥର ଚିନ୍ତା କରିବାକୁ ହେବ। ଏହି ମର୍ମରେ ଗୁରୁବାର ମଧ୍ୟାହ୍ନରେ ଜମନକିରା ବ୍ଲକ ନୁଆଁ ତିହୁରା ପଞ୍ଚାୟତର ଝାରମୁଣ୍ଡା ଠାରେ ଗାଁ କଲ୍ୟାଣ ସମିତି ପକ୍ଷରୁ ଏକ ଅଭିନଵ ସଚେତନାତ୍ମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କିଶୋରୀ ବାଳିକାମାନଙ୍କ ଦ୍ୱାରା ବାଲ୍ୟ ବିବାହର କୁପରିଣାମକୁ ନେଇ ଏକ ନାଟକ ପରିବେଷଣ ହେବା ସହ ଗୀତ,ନୃତ୍ୟ ଓ ମ୍ୟୁଜିକ୍ ଚେୟାର୍ ପ୍ରତିଯୋଗିତା କରାଯାଇ ଏକ ସଭାର ଆୟୋଜନ କରାଯାଇଥିଲା। ମୁଣ୍ଢେନପାଲି ଆଶା ବବିତା ନାଥଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅଞ୍ଚଳର ସମାଜସେବୀ ତଥା ତାଲିମଦାତା ଡାକ୍ତର ରାଜାରାମ ଷଡ଼ଙ୍ଗୀ ଯୋଗଦେଇ ବାଲ୍ୟ ବିବାହକୁ ତୃଣମୂଳ ସ୍ତରରୁ ରୋକିବାକୁ ସହଜ ଉପାୟ ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ କୈଶୋର ବୟସର ପ୍ରତି ସନ୍ତାନର ସୁଖ ସ୍ଵାଚ୍ଛନ୍ଦ୍ୟ ପାଇଁ ୨୦ ବର୍ଷ ବୟସ ପର୍ଯ୍ୟନ୍ତ ସେମାନଙ୍କ ପାଇଁ ଅମୂଲ୍ୟ ସମୟ। ଏହି ବିଷୟକୁ ସେମାନଙ୍କୁ ଜଣାଇବା ଆମ ସମସ୍ତଙ୍କ ଦାୟିତ୍ୱ ହେଲେ ଆମ ମାଟିରୁ ବାଲ୍ୟ ବିବାହ ହଟିବ।ଆଜିର ସଚେତନତାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ଏହାର ଉଦାହରଣ। ଏମାନେ ଆମର ଚିର ନମସ୍ୟ। ଅନ୍ୟମାନଙ୍କ ମଧ୍ୟରେ ସିଏଚଓ ଓମ ପ୍ରକାଶ ବେହେରା, ଏଏନ୍ଏମ୍ ଶ୍ରୀମତୀ ସାହାଣୀ ସାହୁ, ନୂଆବୁର୍ଦା ଆଶା ମାଗଦାଳି ମୁଣ୍ଡା, ରେଙ୍ଗାଲପାଲିର ମଞ୍ଜୁଲତା ବାଗ, ସାନକୁଣ୍ଢେସରାର ମଞ୍ଜରୀ ପଣ୍ଡା, ପଧାନପାଲିର ଆଶା ଗାୟତ୍ରୀ ନାଥ ଓ ସ୍ଥାନୀୟ ୱାର୍ଡ ମେମ୍ବର ପ୍ରମୁଖ ଯୋଗଦେଇ ବାଲ୍ୟ ବିବାହର କୁପରିମାଣ ଉପରେ ବିଷଦ ଆଲୋଚନା କରି ବାଲ୍ୟ ବିବାହ ରୋକିବାକୁ ଉପସ୍ଥିତ ଜନତା ଓ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ।ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କୃତି କଳାକାର ଓ ପ୍ରତିଯୋଗୀଙ୍କୁ ସ୍ୱାସ୍ଥ୍ୟ ସନ୍ଦେଶ ପତ୍ରିକା ସହିତ ବିଭିନ୍ନ ସାମଗ୍ରୀ ଦେଇ ପୁରସ୍କୃତ କରାଯାଥିଲା।

