ଆଜି ଅତାବିରା ମଣ୍ଡିକୁ ଜୋରଜବରଦସ୍ତ ଧାନ ପୁରାଇବେ ଚାଷୀ
ଧାନ ସଂଗ୍ରହ ବିଲମ୍ବକୁ ନେଇ କୃଷକ ସଂଗଠନର ଅସନ୍ତୋଷ
୨୦ ତାରିଖରେ ମଣ୍ଡିରେ ଧାନ ପୁରାଇବେ ଚାଷୀ
ଅତାବିରା, ୨୦/୧୧(ସଂସ୍କୃତି ମିଡ଼ିଆ) – ସରକାର ୨୦ ତାରିଖ ରାଜ୍ୟ ସାରା ମଣ୍ଡି ଖୋଲି ଧାନ ସଂଗ୍ରହ ହେବ ବୋଲି ଘୋଷଣା କରିଥିଲେ । ହେଲେ ବରଗଡ଼ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିରେ ୨୮ ତାରିଖ ମଣ୍ଡି ଖୋଲିବା ନେଇ ଦିନ ଧାର୍ଯ୍ୟ କରାଯାଇଛି । ହୀରାକୁଦ ସେଚାଂଚଳର ଅତାବିରା ବ୍ଳକରେ ଆଗୁଆ ଧାନ ଚାଷ ହେଇଥାଏ। ଏଠାରେ ଚାଷୀମାନେ ଧାନ ଅମଳ କରିବା ଆରମ୍ଭ କରି ଦେଲେଣି। ଅନେକ ଚାଷୀଙ୍କ ବହୁ ଧାନ ଅମଳ ହୋଇସାରିଛି । ଚାଷୀ ପାଖରେ ଧାନ ରଖିବାକୁ ଭିତ୍ତିଭୂମି ନାହିଁ। ଏଭଳି ସ୍ଥଳେ ଚାଷୀଙ୍କ ଅମଳ ଧାନ କ୍ଷେତ, ଖଳାରେ ଖୋଲା ଆକାଶତଳେ ପଡ଼ି ରହିଛି। ମଣ୍ଡି ଖୋଲି ନଥିବାରୁ ଚାଷୀମାନେ ଶୀତ, କାକର ସହି ସେହି ଧାନକୁ ଜଗି ରହିଛନ୍ତି। ଏଭଳି ବିଳମ୍ବିତ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ବଢ଼ି ଚାଲିଥିବାବେଳେ ଏହାକୁ ନେଇ ଆନ୍ଦୋଳନ ମଧ୍ୟ ତେଜି ଉଠିଛି। ଏହି କ୍ରମରେ ଜିଲା ପ୍ରଶାସନ ପକ୍ଷରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯାଇ ନଥିଲେ ସୁଦ୍ଧା ଆଜି (ନଭେମ୍ବର ୨୦ ଗୁରୁବାର ) ଠାରୁ ବରଗଡ଼ ଜିଲା ଅତାବିରା ମଣ୍ଡିରେ ଚାଷୀମାନେ ବିକ୍ରି ପାଇଁ ଅମଳ ଧାନ ପୂରାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଚାଷୀ ୨୦ ତାରିଖରେ ପ୍ରଶାସନ ବିରୋଧ କଲେ ଵି ବାଧ୍ୟ ହୋଇ ଜୋରଜବରଦସ୍ତ ମଣ୍ଡିମାନଙ୍କରେ ଧାନ ରଖିବେ ବୋଲି ଅତାବିରା ମୁଖ୍ୟ ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ କୃଷକ ସଂଗଠନର ଗତ ରବିବାର ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସଂଗଠନର ଅତାବିରା ବ୍ଳକ ସଭାପତି ବୀରେନ୍ଦ୍ର କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକ ନିଷ୍ପତ୍ତି କ୍ରମେ ଗତ ମଙ୍ଗଳବାର ଏକ ପ୍ରତିନିଧି ଦଳ ଜିଲ୍ଲା ତଥା ଅତାବିରା ନିୟନ୍ତ୍ରିତ ବଜାର କମିଟି ପ୍ରଶାସନ ସହ ଆଲୋଚନା କରିଛି l ଧାନ ମଣ୍ଡି ଖୋଲିବା ପୂର୍ବରୁ ପଂଜୀକରଣରୁ ବାଦ୍ ପଡ଼ିଥିବା ଅତାବିରା ବ୍ଳକର ଚାଷୀଙ୍କୁ ଖରିଫ ଧାନ ସଂଗ୍ରହରେ ସାମିଲ କରିବା ସହ ଶୀଘ୍ର ଧାନ ଡ଼ିସ୍ପୋଜାଲ କରିବା ଦିଗରେ ଆଲୋଚନା ସମୟରେ ଦାବୀ ଦୋହାରିଛି ସଂଗଠନ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଟିକେଲାଲ ମିଶ୍ର, ପାପ ରାଓ, ବୁଧଦେବ ନନ୍ଦ, ଭି କ୍ରିଷ୍ଣା ମୂର୍ତ୍ତି, ଦଶରଥ ଭୋଇ, କେ ରାମ ବାବୁ, ନରେନ୍ଦ୍ର ପ୍ରଧାନ, ଭୁବନ ପ୍ରଧାନ, କୁବେର ପ୍ରଧାନ, ଦେବେନ୍ଦ୍ର ସାହୁ, ତ୍ରିଲୋଚନ ନାଏକ, ଅମୁଲ୍ୟ ସ୍ୱାଇଁ, ପଦ୍ମଲୋଚନ ପ୍ରଧାନ, ଦାଶରଥି ବେହେରା, ସମୀର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।
ସଂପ୍ରତି ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଅତାବିରା ଅଞ୍ଚଳରେ ଯେଭଳି ଭାବେ ଧାନ ଅମଳ ହେଲାଣି ତାହାକୁ ଦୃଷ୍ଟିରେ ରଖି ସରକାର ଆଗତୁରା ଧାନ କ୍ରୟ ବିକ୍ରୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ ନ କଲେ ଚାଷୀ ଆନ୍ଦୋଳନ ଯେ ଆଖି ଆଗରେ ଝାଲୁସୁଥିବା ଦେଖିବାକୁ ମିଳିଛି l
