ବୀର ଛବିଲ ସାଏ ସ୍ମୃତି କମିଟି ପ୍ରସ୍ତୁତି ବୈଠକ

0

ବୀର ଛବିଲ ସାଏ ସ୍ମୃତି କମିଟି ପ୍ରସ୍ତୁତି ବୈଠକରେ ଡିସେମ୍ବର ୧୭ରେ ପ୍ରଥମ ଯୁଦ୍ଧ ଦିବସ ଓ ୩୦ରେ ଛବିଳ ସାଏ ଜୟନ୍ତୀ ପାଳନ ନିଷ୍ପତ୍ତି

ସମ୍ବଲପୁର:ତା.୦୭/ ୧୨(ସଂସ୍କୃତି ମିଡିଆ)ସମ୍ବଲପୁରରେ ବ୍ରିଟିଶ ବାହିନୀର ଗତିବିଧି ଉପରେ ନଜର ରଖିବା ପାଇଁ ବୀର ସୁରେନ୍ଦ୍ର ସାଏ କୁଦୋପାଲିରେ ଘାଟୀ ସ୍ଥାପନ କରିଥିଲେ। ଘାଟୀ ଦାୟିତ୍ଵରେ ଥିଲେ ସାନ ଭାଇ ଛବିଳ ସାଏ। ଯୁଯୁମୁରାରେ ବ୍ରିଟିଶ ବାହିନୀ ଉପରେ ବୀର ସୁରେନ୍ଦ୍ର ସାଏଙ୍କ ଗରିଲା ଯୋଦ୍ଧାମାନେ ଅତର୍କିତ ଆକ୍ରମଣ କରି ବହୁ ଇଂରେଜଙ୍କୁ ଗୁରୁତର ଆହତ କରିଥିଲେ ଓ ଡାଃ ମୁର୍‌ଙ୍କୁ ହତ୍ୟା କରିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ୧୭ ଡିସେମ୍ବର ୧୮୫୭ରେ କୁଦୋପାଲି ଘାଟି ଉପରେ ଆକ୍ରମଣ କରିଥିଲେ ବ୍ରିଟିଶ ବାହିନୀ। ପ୍ରଥମ ଯୁଦ୍ଧରେ ବିଜୟ ହୋଇଥିଲା ସଂଗ୍ରାମୀଙ୍କର। କିନ୍ତୁ ଏହି ସଂଗ୍ରାମରେ ଶହୀଦ ହୋଇଥିଲେ ୪ ଜଣ ବୀର ସେନାନୀ। ଇଂରେଜଙ୍କ ପରାଜୟ ପରେ ସେମାନେ ନୂତନ ରଣନୀତି ତିଆରି କରି ମାଡ୍ରାସ ଓ ନାଗପୁରରୁ ସୈନ୍ୟ ମଗାଇଲେ। ୩୦ ଡିସେମ୍ବରର ପ୍ରଚଣ୍ଡ ଶୀତରୁ ରକ୍ଷା ପାଇବା ପାଇଁ ସଂଗ୍ରାମୀମାନେ ପାହାଡ଼ ଉପରୁ ତଳକୁ ଆସି ଏକ ଆମ୍ବ ବଗିଚାରେ ଶୋଇଥିବା ଅବସ୍ଥାରେ ବ୍ରିଟିଶ ବାହିନୀ ଚାରି ପଟରୁ ଘେରି ଆକ୍ରମଣ କରିଥିଲେ। କୁଦୋପାଲି ଗାଆଁ ମଝିରେ ଛବିଲ ସାଏ ଗୁଳିବିଦ୍ଧ ହୋଇ ବୀରଗତି ପ୍ରାପ୍ତ ହୋଇଥିଲେ। ତାଙ୍କ ସହିତ ୫୩ ଜଣ ସଂଗ୍ରାମୀ ଯୁଦ୍ଧ ଭୂମିରେ ବୀରଗତି ପ୍ରାପ୍ତ ହେଲେ ଓ ୧୧ ଜଣ ଗିରଫ ହେଲେ। ୪ଜଣଙ୍କୁ ଫାଶୀ ଓ ଅନ୍ୟ ସମସ୍ତଙ୍କୁ ସଶ୍ରମ କାରାଦଣ୍ଡ ହେଲା। ମୋଟ ୫୭ଜଣ ଶହୀଦ ହେଲେ ମାଆ ମାଟି ପାଇଁ। ଆଗାମୀ ୩୦ ଡ଼ିସେମ୍ବରରେ ହେବାକୁ ଥିବା ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପାଇଁ କୁଦୋପାଲି ଶହୀଦ ଭବନଠାରେ ବୀର ଛବିଳ ସାଏ ସ୍ମୃତି କମିଟିର ଉପସଭାପତି ଲକ୍ଷ୍ମଣ ଦେହୁରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ୧୭ ଡିସେମ୍ବର ର ପ୍ରଥମ ଯୁଦ୍ଧ ଦିବସରେ ୪ ଜଣ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା, ୩୦ ଡ଼ିସେମ୍ବରରେ ମଶାଲ ଶୋଭାଯାତ୍ରା, କୁଦୋପାଲି ଗ୍ରାମରେ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଓ ଘାଟିରେ ୫୭ ମଶାଲ ଜାଳି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ଓ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ, କାର୍ଯ୍ୟକ୍ରମ ପୂର୍ବରୁ ବିଭିନ୍ନ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ୧୦୦ ଫୁଟର ତ୍ରିରଙ୍ଗା ପତାକା ସ୍ଥାପନ ଓ ମାଆ ସମଲେଶ୍ୱରୀଙ୍କ ମନ୍ଦିର ପାଇଁ ଭୂମିପୂଜା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ବୈଠକରେ ପୂର୍ବ ସୂଚନା ଅନୁସାରେ ଆଜି ଅପରାହ୍ନ ୩ଟା ସମୟରେ କୁଦୋପାଲି ରଣଭୂମି ସହିଦ ପୀଠରେ ଡ଼ିସେମ୍ବର ୧୭ ଓ ୩୦ରେ ବୀର ସହୀଦ ଛବିଳ ସାଏ ଓ ସାଥିମାନଙ୍କର ଶ୍ରଦ୍ଧାଞ୍ଜଳି ସଭା କିଭଳି ଭବ୍ୟ ଅନୁସାରେ ହୋଇପାରିବ ସେନେଇ ସ୍ମୃତି କମିଟିରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା। ଏହି ଅବସରରେ ଏକ ସ୍ମରଣିକା ମଧ୍ୟ ପ୍ରକାଶ କରାଯାଉଥିବାରୁ ଏଥିରେ କୁଦୋପାଲି ଘାଟି ଓ ଶହୀଦ ଛବିଳ ସାଏ ଓ ସେହି ସମୟର ସଂଗ୍ରାମ କାହାଣୀ ବିଷୟରେ ପ୍ରକାଶ ପାଇବ। ଏଥିପାଇଁ veerchhabilasaitrust@gmail.ରେ ଲେଖା ପଠାଇବାକୁ ଅନୁରୋଧ କରାଯାଇଛି। ଏହି ବୈଠକରେ ଜୟବ୍ରତ ଦେ, ତରଣୀ ସେଠ, ଭରତ ସାହୁ, କିଶୋର ମହାକୁଡ଼, ରୋଚିଶ ଦେ, ସରିତା ଦେ, ପ୍ରଦୀପ ସୁପକାର, ଚନ୍ଦନ ସାହାଣୀ, ଲକ୍ଷ୍ମଣ ଦେହେରୀ, ଡାକ୍ତର ରାଜାରାମ ଷଡ଼ଙ୍ଗୀ, ବିଜୟ କୁମାର ମିର୍ଦ୍ଧା, କେଦାର ପ୍ରଧାନ, ଶ୍ୟାମଳଳ ବିଶ୍ୱାସ, ଶ୍ରେୟସ ଦେ ପ୍ରମୁଖ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!