ପରିବେଶବିତ୍ ସୁବାସ ନାୟକ ହେଲେ ଉତ୍କଳ ପ୍ରକୃତି ପୁତ୍ର ସମ୍ମାନରେ ସମ୍ମାନିତ
ସମ୍ବଲପୁର, ୯/୧୨(ସଂସ୍କୃତି ମିଡିଆ)ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ସବୁ ମହଲରେ ଜଣେ ଜଣାଶୁଣା ବ୍ୟକ୍ତିତ୍ବ, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ସୁସାହିତ୍ୟିକ, ସମାଜସେବୀ, ସାମ୍ବାଦିକ ତଥା ବିଶିଷ୍ଟ ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକଙ୍କୁ ସମ୍ପ୍ରତି ବ୍ରହ୍ମପୁରର ଭାଷା ଭବନଠାରେ ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ‘ଉତ୍କଳିକା’ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ସାରସ୍ଵତ ଉତ୍ସବରେ “ଉତ୍କଳ ପ୍ରକୃତି ପୁତ୍ର” ସମ୍ମାନରେ ସୋମବାର ସମ୍ମାନିତ କରାଯାଇଛି। ଅନୁଷ୍ଠାନର ସଭାପତି ବିଚିତ୍ରା ନନ୍ଦ ମୁନିଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଡ଼. ପୁରୁଷୋତ୍ତମ ମିଶ୍ର ଓ ମଞ୍ଚାସୀନ ସମ୍ମାନିତ ଅତିଥିମାନେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଜଣେ ଲେଖାଏଁ ପ୍ରତିଭାଙ୍କୁ ସମ୍ମାନିତ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ମୁଖ୍ୟପତ୍ର ‘ଅଭିନବ ଉତ୍କଳିକା’ର ସମ୍ପାଦକ ଡ଼. ବିଜୟ ଚନ୍ଦ୍ର ମହାରଣା ପରିଚାଳନା କରିଥିଲେ। ପ୍ରକାଶ ଥାଉ କି ପୂର୍ବରୁ ଶ୍ରୀଯୁକ୍ତ ନାୟକ ବନ ଓ ବନ୍ୟପ୍ରାଣୀର ସୁରକ୍ଷା ପାଇଁ ସମ୍ବାଦ ପରିବେଶ ସମ୍ମାନ, ମୁଖ୍ୟମନ୍ତ୍ରୀ ପୁରସ୍କାର, ବିଜୁ ପଟ୍ଟନାୟକ ପୁରସ୍କାର, ତିନି ଥର ପ୍ରକୃତି ବନ୍ଧୁ ପୁରସ୍କାର ସହ ଏକାଧିକ ଅନୁଷ୍ଠାନରୁ ପ୍ରକୃତି ମିତ୍ର ଓ ବନିକରଣ ସମ୍ମାନ ପାଇଥିବା ବେଳେ ତାଙ୍କର ଦଶ ଜଣ ଅନୁଗାମୀ ମଧ୍ୟ ପ୍ରକୃତି ବନ୍ଧୁ ସମ୍ମାନ ପାଇ ସାରିଛନ୍ତି । ଅତ୍ୟନ୍ତ ଭଦ୍ର, ସରଳ ଓ ନିଷ୍କପଟ ମଣିଷ ହିସାବରେ ସୁବାସ ବାବୁଙ୍କ ଏହି ପୁରସ୍କାର ପ୍ରାପ୍ତି ପରେ ତାଙ୍କର ଶୁଭେଚ୍ଛୁ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି।
