ସକାଳ ପାଇଲେ ଧାନ କିଣା : ଚାଷୀ ପ୍ରସ୍ତୁତ, ବ୍ୟବସ୍ଥାରେ ଅନେକ ଫାଟ
filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 38;
ଅତାବିରା, ୧୦/୫(ସଂସ୍କୃତି ମିଡ଼ିଆ)- ସୋମବାର ସକାଳ ପାଇଲେ ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼ ଜିଲା ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧୀନ ଗୋଡ଼ଭଗା ମାର୍କେଟ ୟାର୍ଡ଼ରୁ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଚାଷୀ ଧାନ ବିକ୍ରି କରିବାକୁ ପ୍ରସ୍ତୁତ ଥିବା ବେଳେ ସରକାର ପ୍ରଶାସନ ମାଧ୍ୟମରେ କରିଥିବା ବ୍ୟବସ୍ଥାରେ ଅନେକ ଫାଟ ବାରି ହୋଇ ପଡୁଛି l ଚାଷୀଙ୍କ ପାଖକୁ ଏ ଯାଏଁ ଟୋକାନ ଆସି ନ ଥିବା କଥା କୁହନ୍ତୁ ବା ମଣ୍ଡିଗୁଡିକରେ ଭିର୍ତ୍ତିଭୂମିର ଅଭାବ l ଏହାକୁ ନେଇ ଚାଷୀ କୂଳ ଚିନ୍ତିତ ଥିବା କହିଛନ୍ତି ଓଡିଶା ରାଜ୍ୟ କୃଷକ ସଂଗଠନର ପୂର୍ବତନ ସଭାପତି ତଥା ଉପଦେଷ୍ଟା ବୀରେନ୍ଦ୍ର କର l ସେ ଆହୁରି କହିଛନ୍ତି ଯେ ଚାଷୀ ଧାନ ବିକ୍ରି ପାଇଁ ପ୍ରସ୍ତୁତ ଅଛି, ପ୍ରଶାସନ ମଣ୍ଡି ଆରମ୍ଭ କରିବା ପୂର୍ବରୁ ସଂଗଠନ ସୋମବାର ସକାଳ ୯ ଟାରେ ବିଧିବଦ୍ଧ ଭାବେ ପୂଜାଅର୍ଚ୍ଚନା କରି ଧାନ ବିକ୍ରି କରିବା ଅନୁକୂଳ କରିବ l
ଚଳିତ ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଗତମାସ ୨୪ ତାରିଖ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ବସିଥିଲା। ଉକ୍ତ ବୈଠକରେ ସମସ୍ତ ଜନପ୍ରତିନିଧି ଏବଂ ଜିଲାପାଳ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ମେ ମାସ ୧୧ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ବୈଠକରେ ଜିଲାପାଳ ଆଦିତ୍ୟ ଗୋୟଲ ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀଙ୍କ ସୁବିଧାକୁ ଗୁରୁତ୍ୱ ଦେଇ ସମସ୍ତ ମଣ୍ଡିରେ ଡିଜିଟାଲ ଆର୍ଦ୍ରତା ମିଟର, ତାରପୋଲିନ, ୱେବ୍ରିଜ, ଧାନର ଗୁଣମାନ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ବିଶ୍ଲେଷଣ କିଟ୍ ଯୋଗାଇବା ସହିତ ପ୍ରତୀକ୍ଷା କକ୍ଷ, ଛାଇ, ପାନୀୟଜଳ, ଆଲୋକ ବ୍ୟବସ୍ଥା, ପାଇଖାନା, ସିସିଟିଭି ଏବଂ ଧାନ ଦର ଉଲ୍ଲେଖିତ ବୋର୍ଡ ପ୍ରଦର୍ଶନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଧାନ କିଣାବିକା ପାଇଁ ଏପର୍ଯ୍ୟନ୍ତ ବିଭାଗୀୟ ତତ୍ପରତା ସେତେଟା ପରିଲକ୍ଷିତ ହୋଇନାହିଁ l ଚାଷୀଙ୍କୁ ଧାନବିକ୍ରି ଟୋକନ ମିଳିପାରି ନାହିଁ। ଫଳରେ ମଣ୍ଡିକୁ ଧାନ ନେବା ପାଇଁ ଚାଷୀମାନେ ପ୍ରସ୍ତୁତ ଥିଲେ ବି କିଭଳି ବିକ୍ରି କରିବେ ତାହା ଚିନ୍ତା କରିପାରୁ ନାହାନ୍ତି। ଅନ୍ୟପଟେ ଜିଲାର ବିଭିନ୍ନ ଅଞ୍ଚଳରେ ଚାଷୀଙ୍କ ଅମଳ ଧାନ ରାସ୍ତା କଡ଼ରେ ଶୁଖାଇବାକୁ ପଡ଼ି ରହିଥିବାବେଳେ ଥରକୁ ଥର କାଳ ବୈଶାଖୀ ଝଡ଼ବର୍ଷା ଲାଗି ରହିଛି। ଏଭଳି ସ୍ଥିତିରେ ଚାଷୀଙ୍କୁ ଟୋକନ ବିଳମ୍ବରେ ପ୍ରଦାନ କଲେ ସେମାନଙ୍କ ଅମଳ ଧାନ ବିକ୍ରି ବିଳମ୍ବିତ ହେବା ସହିତ ଝଡ଼ବର୍ଷାରେ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାକୁ ନେଇ ଏବେଠାରୁ ଚାଷୀଙ୍କୁ ଝଡ଼ବର୍ଷା ଚିନ୍ତା ଘାରିଥିବା ବେଳେ ଅସନ୍ତୋଷ ମଧ୍ୟ ତୀବ୍ର ହେବାରେ ଲାଗିଛି। ଚାଷୀଙ୍କ ଦୁଃଖକୁ ହୃଦୟଙ୍ଗମ କରି ପ୍ରଶାସନ ଚାଷୀଙ୍କୁ ଶୀଘ୍ର ଟୋକନ ପ୍ରଦାନ କରି କିଭଳି ସୁରୁଖୁରୁରେ ଧାନ କିଣାବିକା ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବୀ ହୋଇଛି l
