୨ ମାସର ଦରମା ନ ପାଇ ହନ୍ତସନ୍ତ ହେଉଛନ୍ତି ଏକ୍ସ କ୍ୟାଡ଼ର ଶିକ୍ଷକ 

0

ଭଟଲି,୧୨।୬(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ବିଗତ କିଛି ମାସ ନଧରି ବିଭିନ୍ନ ପ୍ରକାର ମାମଲାରେ ଛନ୍ଦି ହୋଇରହିଥିବା ବେଳେ ଜିଲ୍ଲା ଅନ୍ତର୍ଗତ ଭଟଲି ଗୋଷ୍ଠୀ ଶିକ୍ଷା ବିଭାଗରେ ଶୁକ୍ରବାର ଶିକ୍ଷକ ଅଶାନ୍ତି ଦେଖିବାକୁ ମିଳିଛି । ଗତ ୨ ମାସର ଦରମା ପାଇନଥିବାବେଳେ ନିୟମିତ ଭାବେ ଏନପିଏସ ଜମା ହେଉ ନଥିବା, ସଂଶୋଧିତ ହାରରେ ଦରମା ପ୍ରଦାନ କରାଯାଉନଥିବା, ଡିଏ ଏରିଅର୍ ପ୍ରଦାନ କରାଯାଉନଥିବା ଆଦି ବିଭିନ୍ନ ଦାବି ନେଇ ଭଟଲି ବ୍ଲକ୍ ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ । ବାରମ୍ବାର ଗୁହାରି ସତ୍ତ୍ୱେ ସେମାନଙ୍କୁ ଅବହେଳା ପ୍ରଦର୍ଶନ କରାଯାଉଥିବା ବେଳେ ନିୟମିତ ଭାବେ ଦରମା ପ୍ରଦାନ କରାଯାଉ ନଥିବା ସେମାନେ ଅଭିଯୋଗ କରିଥିଲେ । ପ୍ରାପ୍ତ ସୂଚନା ଅନୁଯାୟୀ ଗତ ଏପ୍ରିଲ୍ ମାସରେ ଭଟଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ବରଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ.ସୁରେନ୍ଦ୍ର ସାହୁ କୌଣସି କାରଣରୁ ଚାକିରୀରୁ ନିଲମ୍ବିତ ହେବାପରେ ପ୍ରାୟ ମାସେ ଧରି ଭଟଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପଦଶୁନ୍ୟ ହୋଇପଡ଼ିଥିଲା । ତେବେ ଶିକ୍ଷକ ମାନଙ୍କ ଦରମା ତଥା ବିଭିନ୍ନ ପ୍ରକାର ଟଙ୍କା କାରବାର ଏବଂ କାର୍ଯ୍ୟାଳୟ ପରିଚାଳନା ପାଇଁ ଆମ୍ବାଭୋନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବନା ସାହୁ ଭଟଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ 1ନେଇଥିଲେ। ତାଙ୍କ ଯୋଗଦାନ ପରେ ଶିକ୍ଷକ ମାନଙ୍କ ମଧ୍ୟରେ ଦରମା ପାଇବାର ଆଶା ଉଜ୍ଜୀବିତ ହୋଇଥିଲା । ମାତ୍ର ପରିତାପର ତାଙ୍କ ଅବହେଳା ପାଇଁ ଭଟଲି ବ୍ଲକ୍ ର ଏକ୍ସ କ୍ୟାଡ଼ର ଶିକ୍ଷକଶିକ୍ଷୟିତ୍ରୀ ମାନେ ଅଦ୍ୟାବଧି ଜୁନ ମାସର ୧୨ ଦିନ ବିତି ସାରିଥିଲେ ସୁଦ୍ଧା ଦରମା ପାଇ ନାହାନ୍ତି । ବର୍ତ୍ତମାନ ର ମହଙ୍ଗା ସମୟରେ ୨ ମାସର ଦରମା ନ ପାଇଁ ଏକ୍ସ କ୍ୟାଡ଼ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଚାପଗ୍ରସ୍ତ ହୋଇପଡ଼ିଥିବା ଅଭିଯୋଗ କରିଛନ୍ତି । ଏନେଇ ସେହି ଶିକ୍ଷକ ମାନେ କାର୍ଯ୍ୟାଳୟକୁ ଆସି ଦାୟିତ୍ୱରେ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭେଟିବାକୁ ଆସି ଦେଖା ପାଇନଥିଲେ । ତେବେ ଅନ୍ୟ ଅଧିକାରୀଙ୍କୁ ଦରମା ବିଷୟରେ କହିବାପରେ ଉକ୍ତ ଦରମା ପ୍ରଦାନ କାର୍ଯ୍ୟ ତଳ ସ୍ତରରେ ସରିଯାଇଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଆପୃବ ଅପେକ୍ଷାରେ ରହିଛି ଏବଂ ଡିଜି ଗଭ୍ଟ୍ ବନ୍ଦ ହୋଇଯାଇଥିବାରୁ ତାହା ନ ଖୋଲିବା ଯାଏଁ ଦରମା ହୋଇପରିବା ନାହିଁ ବୋଲି ଜାଣିବାକୁ ପାଇ ଦୁଃଖ ପ୍ରକାଶ କରିଥିଲେ । ତେବେ ଶିକ୍ଷକ ଦରମା ପ୍ରଦାନ ପାଇଁ ଅତିରିକ୍ତ ଦାୟିତ୍ୱ ନେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବହେଳାରୁ ଦରମା ହୋଇପାରିନଥିବା ଜାଣି ଶିକ୍ଷକ ଶିକ୍ଷୟିତ୍ରୀ ମାନେ କ୍ଷୋଭ ପ୍ରକାଶ କରିଥିଲେ । ଏନେଇ ଶୁକ୍ରବାର ବ୍ଲକ୍ ର ସମସ୍ତ ଏକ୍ସ କ୍ୟାଡ଼ର ଶିକ୍ଷକଶିକ୍ଷୟିତ୍ରୀ ଭଟଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଘେରାଓ କରି ଆସନ୍ତା ୧୭ ତାରିଖ ବୁଧବାର ସୁଦ୍ଧା ଯଦି ଦୁଇ ମାସର ଦରମା ପ୍ରଦାନ କରାନଯାଏ ତେବେ ସେମାନେ ସପରିବାର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମୂହିକ ଭାବେ ଧାରଣ ଦେବେ ବୋଲି ଚେତାବନୀ ଦେଇଥିଲେ । ସଂଘର ସଭାପତି ଇନ୍ଦ୍ରଜିତ୍ ସାହୁଙ୍କ ଅଧ୍ୟକ୍ଷତାରେ ସମସ୍ତ ଏକ୍ସ କ୍ୟାଡ଼ର ଶିକ୍ଷକଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୀତାରାଣୀ ତ୍ରିପାଠୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!