ଡିଜିଟାଲ୍ ମିଡିଆର ଭୂମିକା ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ
ଡିଜିଟାଲ୍ ମିଡିଆର ଭୂମିକା ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ: ବକ୍ତା
ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ
ବରଗଡ଼,୫/୮(ସଂସ୍କୃତି ମିଡ଼ିଆ): ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ସୋମବାର ବରଗଡ଼ସ୍ଥିତ ଯଦୁମଣି ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଆସୋସିଏସନର ସଭାପତି ଅସିତ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଏବଂ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଓ କଂଗ୍ରେସ ନେତା ନିପନ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଇଞ୍ଜିନିୟର ମୁଗ୍ଧା ଦାଶ ସଭା ପରିଚାଳନା କରିଥିବାବେଳେ ଉପସଭାପତି ଧୀରେନ୍ଦ୍ର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥିମାନେ ଡିଜିଟାଲ୍ ମିଡିଆ ସମାଜର ଅବହେଳିତ ବର୍ଗର ସ୍ବରକୁ ଉପସ୍ଥାପନ କରିବା ସହ ଜନସମସ୍ୟାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା କହିଥିଲେ। ସାମ୍ବାଦିକମାନଙ୍କ ନିଷ୍ଠା, ସାହସ ଓ ଜନସେବା ପ୍ରତି ସମର୍ପଣର ପ୍ରଶଂସା କରିବା ସହ ଗଣମାଧ୍ୟମ ଏକ ସଚେତନ ସମାଜ ଗଠନରେ ସହାୟକ ବୋଲି ମତ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ଶିକ୍ଷକ ଗୋପବନ୍ଧୁ ପୁରୋହିତଙ୍କ ସଂଯୋଜନାରେ ବରଗଡ଼ ଜିଲା ତଥା ଦୁରଦୂରାନ୍ତରୁ ଆସିଥିବା ବରିଷ୍ଠ ସାମ୍ବାଦିକ ମାନଙ୍କ ବକ୍ତବ୍ୟ ରଖାଯାଇଥିଲା l ବରିଷ୍ଟ ସାମ୍ବାଦିକଙ୍କ ବକ୍ତବ୍ୟ ସାମ୍ବାଦିକତା ଓ ସମାଜର ବାସ୍ତବତା ଉପରେ କର୍ମଶାଳାରୁ କାମ୍ ନ ଥିଲା l ଏଥିରୁ ସାମ୍ବାଦିକର କର୍ମମୟ ଜୀବନରେ ସମାଜ ପ୍ରତି ଅବଦାନ ଓ କର୍ମ ଶୈଳୀ ସହ ଉତ୍ତରଦାୟୀତ୍ୱ ଜଡିତ ଥିଲା l
ଏହି ଅବସରରେ ବିଭିନ୍ନ ଡିଜିଟାଲ୍ ମିଡିଆର ସାମ୍ବାଦିକ ଏବଂ ସାମାଜିକ ଅନୁଷ୍ଠାନକୁ ସମ୍ମାନିତ କରାଯାଇଥିଲା। ଲୀଳାମୟ ବେହେରା ଧନ୍ୟବାଦ ଅର୍ପଣ କରିଥିବାବେଳେ ପରବର୍ତ୍ତୀ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବକୁ ଆକର୍ଷଣୀୟ କରିଥିଲା।
ଉତ୍ସବରେ ବରଗଡ଼ ସହରରେ ପ୍ରଥମଥର ପାଇଁ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବାରୁ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀଙ୍କୁ ଆସୋସିଏସନ ପକ୍ଷରୁ ସ୍ବତନ୍ତ୍ର ଧନ୍ୟବାଦ ଜଣାଯାଇଥିଲା। ପଶ୍ଚିମ ଓଡ଼ିଶାର ବହୁ ସାମ୍ବାଦିକ ଉତ୍ସବରେ ଯୋଗଦେଇ ସାମ୍ବାଦିକତାର ମୂଲ୍ୟବୋଧ, ଏକତା ଓ ଭବିଷ୍ୟତ ଦିଗ ଉପରେ ମତ ବିନିମୟ କରିଥିଲେ।

