ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

0

କୁଚିଣ୍ଡା,୦୫/୦୧ (ସଂସ୍କୃତି ମିଡିଆ) -ସମ୍ବଲପୁର ଜିଲ୍ଲାର ଏକମାତ୍ର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ କୁଚିଣ୍ଡାର ଦ୍ଵିତୀୟ ବାର୍ଷିକ କ୍ରୀଡା ଉତ୍ସବ ଆଜି ମହା ସମାରୋହରେ ଉଦଘାଟିତ ହୋଇ ଯାଇଛି। ଦ୍ଵିଦିବସୀୟ ଏହି ଉତ୍ସବକୁ ସମାଜସେବି ତଥା ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିବା ସହ ଶାରୀରିକ ସୁସ୍ଥତାର ଆବଶ୍ୟକତା ସମ୍ପର୍କରେ ଉଦବୋଧନ ଦେଇଥିଲେ।ସ୍କୁଲ କମିଟିର ସଭାପତି ନରେନ୍ଦ୍ର ବାଘ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅଧ୍ୟକ୍ଷ ଚକ୍ରଧର ମାଝୀ ପୌରହିତ୍ୟ କରି ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ନାୟକ କ୍ରୀଡା ପତାକା ଉତ୍ତୋଳନ ସହ ଛାତ୍ରଛାତ୍ରୀଙ୍କ ଅଭିବାଦନକୁ ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀ ମଶାଲ ଶୋଭାଯାତ୍ରାରେ ସହର ପରିକ୍ରମାକରି ସ୍କୁଲ ପଡିଆକୁ ଆସିଥିଲେ। ଏହା ପରେ ଦୌଡ଼ ପ୍ରତିଯୋଗିତା, ଲମ୍ବଡିଆଁ, ଉଚ୍ଚ ଡିଆଁ, ଜବ୍ଲିନ ଥ୍ରୋ, ଫୁଟବଲ୍, ଭଲିବଲ୍ ଆଦି ଖେଳର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଛାତ୍ରୀ ଅଙ୍କିତା, କ୍ଷୀରୋଦ୍ରି, ଦିପାଲି, ତେଜସ୍ଵିନି ଓ ସୁଷମା ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ କ୍ରୀଡା ସମ୍ପର୍କିତ ଏକ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା । ଉଦଘାଟନୀ କାର୍ଯ୍ୟକ୍ରମକୁ ଅଧ୍ୟାପିକା ଶୁଭଶ୍ରୀ ମହାପାତ୍ର ସଂଯୋଜନା କରିଥିବା ବେଳେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ପ୍ରତିଯୋଗିତା ପରିଚାଳନା କରିଥିଲେ। ଶେଷରେ ଅଧ୍ୟାପକ ସରୋଜ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।
(କୁଚିଣ୍ଡାରୁ ସୁବାସ ନାୟକଙ୍କ ରିପୋର୍ଟ)


Leave a Reply

Your email address will not be published. Required fields are marked *

error: Content is protected !!