3 ରାଜ୍ୟରେ ମ୍ୟାଜିକ୍ ନମ୍ବର ଟପି ବିଜେପି ଆଗରେ, ତେଲଙ୍ଗାନାରେ କଂଗ୍ରେସ
ନୂଆଦିଲ୍ଲୀ,3।12: ଆଗକୁ 2024ର ସାଧାରଣ ନିର୍ବାଚନ l ସାଧାରଣ ନିର୍ବାଚନର ଫାଇନାଲ ରଣାଙ୍ଗନ ପୂର୍ବରୁ ବିଜେପି ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ର ବିଧାନସଭା ନିର୍ବାଚନର ସେମିଫାଇନାଲର ଫଳାଫଳରେ ବିଜୟୀ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହଁ । 3 ଟି ଯାକ ରାଜ୍ୟରେ ବିଜେପି ଆଗୁଆ ରହିଛି। ତେବେ କଂଗ୍ରେସ କେବଳ ତେଲେଙ୍ଗାନା ରାଜ୍ୟରେ ଆଗୁଆ ରହିଛି।
ଆଜି ଚାଲିଥିବା ଭୋଟ ଗଣତିରୁ ମିଳିଥିବା ରିପୋର୍ଟ ଅନୁସାରେ ବିଜେପି ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ମ୍ୟାଜିକ୍ ନମ୍ବର ଟପି ଆଗରେ ଥିବା ବେଳେ କଂଗ୍ରେସ ତେଲେଙ୍ଗାନା ରାଜ୍ୟରେ ଅଗ୍ରଣୀ ଅଛି । ମଧ୍ୟପ୍ରଦେଶରେ ମୋଟ ଆସନ ସଂଖ୍ୟା 230 ଥିବାବେଳେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍ ନମ୍ବର 115 ରହିଛି। ଏଠାରେ ବିଜେପି 166 ଆସନରେ ଆଗୁଆ ରହିଛି। ସେହିପରି ରାଜସ୍ଥାନରେ 199 ଆସନ ଥିବାବେଳେ ସରକାର ଗଠନ ପାଇଁ ଆବଶ୍ୟକ ଆସନ ସଂଖ୍ୟା 100 ରହିଛି। ରାଜସ୍ଥାନରେ ବିଜେପି 114 ଆସନରେ ଆଗୁଆ ରହିଛି। ଅପରପକ୍ଷରେ ଛତିଶଗଡ଼ରେ ମୋଟ 90 ଆସନ ମଧ୍ୟରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର 46 ରହିଛି। ଏଠାରେ ବି ବିଜେପି 55 ସଂଖ୍ୟା ଛୁଇଁ ଆଗରେ ରହିଛି । ତେବେ ତେଲଙ୍ଗାନାର ବିଧାନସଭା ନିର୍ବାଚନ ଫଳାଫଳ ଗଣତିରେ କଂଗ୍ରେସ ପ୍ରାରମ୍ଭରୁ ଆଗରେ ରହି ଆସିଛି l ତେଲଙ୍ଗାନାରେ କଂଗ୍ରେସ ମ୍ୟାଜିକ ନମ୍ବର ଛୁଇଁଛି। ତେଲଙ୍ଗାନାର ମୋଟ ଆସନ ସଂଖ୍ୟା 119 ରହିଛି। ଏଠାରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍ ନମ୍ବର 60 ରହିଛି। କଂଗ୍ରେସ ତେଲଙ୍ଗାନାରେ 63 ଆସନରେ ଆଗୁଆ ରହିଛି। ଏଠାରେ ବିଆରଏସ 40ଏବଂ ବିଜେପି 9 ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟାନ୍ୟ ୭ ଆସନରେ ଆଗୁଆ ରହିଛନ୍ତି। ତେଲଙ୍ଗାନାରେ ପ୍ରଥମ ଥର ପାଇଁ କ୍ଷମତା ଦଖଲ କରିବାକୁ ଯାଉଛି କଂଗ୍ରେସ ।